"ଉତ୍କଳ-ଜନନୀ ସୁରସା ।
ଓଡ଼ିଆ ଶ୍ରେଷ୍ଠ ମାତୃଭାଷା ।।"
ଏ ମଧୁର ପଦ ଯାଙ୍କ ଲେଖନୀରୁ ଜାତ,
ତାଙ୍କରି ଚରଣେ ମୋର ଭକ୍ତି-ପ୍ରଣିପାତ ।
ସରସ୍ବତୀ-ବରପୁତ୍ର କବି ମନୋହର,
ପୂଜାସ୍ପଦ ପିତାମହ ବରେଣ୍ୟ ମୋହର ।
ଯେ ପଶ୍ଚିମ ଓଡ଼ିଶାର 'ଗଣକବି' ନାମେ,
ପରିଚିତ ସ୍ବପ୍ରତିଭା ଯୋଗୁଁ ଲୋକଧାମେ ।
ପଲ୍ଲୀପ୍ରାଣେ ପରକାଶି ଆଧ୍ୟାତ୍ମିକ ତତ୍ତ୍ବ,
ଦର୍ଶାଇ ଅଛନ୍ତି ଜ୍ଞାନ-ରଶ୍ମିର ମହତ୍ତ୍ଵ ।
ଭାରତୀୟ ଧର୍ମ ସଂସ୍କୃତିର ପ୍ରତିଷ୍ଠାରେ,
ଲେଖିଛନ୍ତି ବହୁ ଗୀତ ଜନ-ଉପକାରେ ।।
*
ଇଂରେଜ ଶାସନତନ୍ତ୍ର-ଭୁକ୍ତ ତତ୍କାଳୀନ,
ହିନ୍ଦୀ-ଭାଷାଭାଷୀ କେନ୍ଦ୍ରପ୍ରଦେଶ-ଅଧୀନ ।
ଖଡ଼ିଆଳ ରାଜ୍ୟମଧ୍ୟେ ଉପାନ୍ତ ଅଞ୍ଚଳେ,
ସିନାପାଲି ଗ୍ରାମେ ଥାଇ ଏକାଗ୍ରେ ନିଶ୍ଚଳେ ।
କରିଥିଲେ ସାରସ୍ଵତ ନୀରବ ସାଧନା,
ଗଣପତି-ବୀଣାପାଣି- ପାଦେ ଆରାଧନା ।
ହେଲେବି ଅବହେଳିତ ସୁବିଧା-ବଞ୍ଚିତ,
ଓଡ଼ିଆଭାଷାରେ ଏକା ଲେଖିଛନ୍ତି ଗୀତ ।।
*
ସୀମାନ୍ତେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ,
ଜାଗ୍ରତ ଥିଲେ ସେ ସଦା ସ୍ବଦୀପ୍ତି-ରାଗରେ ।
ବାସ୍ତବେ ବିଚାରି ତାଙ୍କ ସାରସ୍ବତ ନିଧି,
ଔପନ୍ୟାସିକ ପରଶୁରାମ ମୁଣ୍ଡ ସୁଧୀ ।
"ସୀମାନ୍ତର ଦୀପଶିଖା" ବୋଲି ଉପାଧିରେ,
ବିଭୂଷିତ କରିଛନ୍ତି କବିଙ୍କୁ ବିଧିରେ ।।
*
ଅମାୟିକ ଅମ୍ଲାନ ଯା ଛବି କବିତାର,
ସନ୍ଦେଶ ବହିଛି ଭାବାତ୍ମକ ଏକତାର ।
ଯାହାଙ୍କର ଗୀତମାନ ମାନସ-ମୋହକ,
ବିବିଧ ରାଗରାଗିଣୀ-ବିନ୍ୟାସେ ରୋଚକ ।
ସ୍ତୁତି, ବ୍ରତ, ମେଳା, ବୋଲି, ଜଣାଣ,ଭଜନ,
ଘୁମୁରା ପଟଳ, ଦଣ୍ଡନାଟ, ସଙ୍କୀର୍ତ୍ତନ ।
କୋଇଲି, ସଙ୍ଗୀତ, ଲୀଳା,ସୁଆଙ୍ଗ,ଚରିତ,
ଅବକାଶ, ଚଉତିଶା, ଜ୍ୟୋତିଷ ସହିତ ।
ଦୃଶ୍ୟ ଆଦି ଲେଖିଛନ୍ତି ଆନନ୍ଦ ପ୍ରଦାନି,
ସାଧକ ସେ ସତ୍ୟ-ଶିବ-ସୁନ୍ଦର-ସନ୍ଧାନୀ ।।
*
ଅଠରଶହ ପଞ୍ଚାଶୀ ଖ୍ରୀଷ୍ଟାବ୍ଦେ ତାଙ୍କର,
ଆବିର୍ଭାବ ମର୍ତ୍ତ୍ୟଲୋକେ ଘେନି କଳେବର ।
ପାବନ ରାମନବମୀ ତିଥିରେ ଜନମି,
ମାତୃଭୂମି ମାତୃଭାଷା ପ୍ରେମେ ଥିଲେ ରମି ।
ଉତ୍କଳ-ମାତାର ତଥା ଓଡ଼ିଆ ଭାଷାର,
ସେବାରେ ଯା ଅବଦାନ ନୁହେ ଭୁଲିବାର ।
ସ୍ନେହାଶିଷ ବିତରି ଯେ ମୋତେ ଅନୁରାଗେ,
ଦିଗ୍-ଦର୍ଶନ ଦେଇଛନ୍ତି ସାରସ୍ବତ ମାର୍ଗେ ।
କବି ମନୋହର ସେ ତ ବାଣୀ-ତପୋବ୍ରତୀ,
ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ସାଦର ପ୍ରଣତି ।।
ସେ ପିତାମହଙ୍କ ପୁଣ୍ୟ ସ୍ମୃତିରେ ଉତ୍ସର୍ଗ,
କରୁଅଛି ନୈଷଧୀୟ ଏ ନବମ ସର୍ଗ ।।
* ହରେକୃଷ୍ଣ ମେହେର *
-------------
(ମହାକବି ଶ୍ରୀହର୍ଷ-କୃତ ନୈଷଧଚରିତ ମହାକାବ୍ୟରୁ କେବଳ ନବମ ସର୍ଗର ମଦୀୟ ଓଡ଼ିଆ ପଦ୍ୟାନୁବାଦ ପୁସ୍ତକ *ନୈଷଧଚରିତ : ନବମ ସର୍ଗ* ୨୦୨୩ ରେ ପ୍ରକାଶିତ । ଆଗରୁ ଏହି ଅନୁବାଦ ଯାଜପୁରର 'ବର୍ତ୍ତିକା' ମୁଖପତ୍ର ଦଶହରା ବିଶେଷାଙ୍କ-୨୦୦୦ ରେ
ପୂର୍ଣ୍ଣ ପ୍ରକାଶିତ ହୋଇସାରିଛି ।
ଉପରଲିଖିତ କବିତାଟି ସମ୍ପୃକ୍ତ ପୁସ୍ତକରେ *ଉତ୍ସର୍ଗ* ରୂପେ ସ୍ଥାନିତ ।)
========
Related Links :
POET MANOHAR MEHER: A PROFILE :
http://kavi-manohar-meher.blogspot.com/2010/04/kavi-manohar-meher.html?m=1
*
SIMANTARA DIPASHIKHA KAVI MANOHAR MEHER :
By Dr. Mahendra Kumar Mishra:
ସୀମାନ୍ତର ଦୀପଶିଖା କବି ମନୋହର ମେହେର (ପୁସ୍ତକ ଲେଖକ: ଡକ୍ଟର୍ ମହେନ୍ଦ୍ର କୁମାର ମିଶ୍ର) :
http://kavi-manohar-meher.blogspot.com/2018/03/simantara-dipashikha-kavi-manohar-meher.html?m=1
*****
Related Other Link :
*****
ଗଙ୍ଗାଧର ସାରସ୍ଵତ ସମିତି, ସିନାପାଲି, ଜିଲ୍ଲା -ନୂଆପଡ଼ା ପକ୍ଷରୁ କବି ମନୋହର ମେହେର ଜୟନ୍ତୀ ପାଳନ :
https://www.facebook.com/share/p/18S2oZQM92/
=====























